All India Radio Talk ଶକ୍ତି ଶଙ୍କଟ ଓ ଲିଥିୟମ୍-ଆୟନ୍ ବ୍ୟାଟେରୀ
ଈଶ୍ୱରଚନ୍ଦ୍ର ନାୟକ ବାଙ୍ଗୁଋଷ ପାଟଣା ଭାଣପୁର, ପୁରୀ ମୋ-୯୭୭୮୫୧୯୬୭୮ ଶକ୍ତି ଶଙ୍କଟ ଓ ଲିଥିୟମ୍-ଆୟନ୍ ବ୍ୟାଟେରୀ ଶକ୍ତି ବିନା ଜୀବନର ପରିକଳ୍ପନା ଅସମ୍ଭବ । ଶକ୍ତି ହେଉଛି ବିକାଶ ଓ ଉନ୍ନତିର ଆଧାର । ଏହା କେବଳ ସାମଗ୍ରିକ ସ୍ତରରେ ପ୍ରଯୁଯ୍ୟ ନୁହେଁ, ଏହା ବ୍ୟକ୍ତିଗତ ସ୍ତରରେ ମଧ୍ୟ ସତ୍ୟ । ଶକ୍ତିବିନା ମନୁଷ୍ୟର ଶରୀର ଯେପରି ଅଚଳ, ଆଜିର ବିଜ୍ଞାନ ଜଗତରେ ସମସ୍ତ ଯନ୍ତ୍ର ଓ ଯନ୍ତ୍ରାଶଂ ମଧ୍ୟ ଶକ୍ତି ବିନା ସେହିପରି ସ୍ଥାଣୁ । ସାଧାରଣତଃ ସମସ୍ତ ପରିବହନୀୟ ( Portable ) ଇଲେକ୍ଟ୍ରୋନିକ୍ ଯନ୍ତ୍ର ଓ ଯନ୍ତ୍ରାଂଶ ଯଥା ସ୍ମାର୍ଟ ମୋବାଇଲ୍, ଲ୍ୟାପ୍ଟପ୍, କ୍ୟାମେରା, ଟାବ୍ଲେଟ୍ ଆଦି ଏହି ବିଦ୍ୟୁତ୍ ଶକ୍ତି ପାଇଁ ସେଥିରେ ଖଞ୍ଜା ଯାଇଥିବା ବ୍ୟାଟେରୀ ଉପରେ ନିର୍ଭର କରିଥାନ୍ତି ଯାହା ରାସାୟନିକ ଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ରୂପାନ୍ତରିତ କରିଥାଏ । ଏହି ବ୍ୟାଟେରୀ ମାନଙ୍କ ମଧ୍ୟରେ ଲିଥିୟମ ଆୟନ୍ ରିଚାର୍ଜେବଲ୍ ବ୍ୟାଟେରୀର ଶକ୍ତି ସାନ୍ଦ୍ରତା, ବ୍ୟବହାରରେ ନିରାପଦ, କ୍ଷୁଦ୍ର ଆକାର, ପରିବେଶ ପ୍ରଦୂଷଣ ରହିତ, ସ୍ୱଳ୍ପ ମୂଲ୍ୟ ଓ ସହଜ ଉପଲବ୍ଧ ଗୁଣ ଆଜି ବିଜ୍ଞାନ ବିଶ୍ୱକୁ ଦେଇଛି ଏକ ନୂଆ ଦିଗ । ସ୍ମାର୍ଟ ମୋବାଇଲ୍ର ବିକାଶ ଓ ବ୍ୟବହାରରେ ଆଜି ଏକ ବିପ୍ଳବ ଆଣି ଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଆଜି ସମଗ୍ର ବିଶ୍ୱର ୭୭୦ କୋଟି ଜନସଂଖ୍ୟାରେ ପ...